ଲୋଭି ବିଲୁଆର କାହାଣୀ

ଗୋଟିଏ ବଣରେ ଜଣେ ବୁଢା ଶିକାରି ବାସ କରୁଥିଲା । ତା’ର ଗୋଟିଏ ପୁଅ ଥିଲା । ଶିକାରି ପୁଅଟି ବଣ ସାରା ବୁଲି ବୁଲି ଗୋଟିଏ ମଧ୍ୟ ଶିକାର ପାଇଲା ନାହିଁ । ତେଣୁ ମନରେ ବହୁତ କଷ୍ଟ ଅନୁଭବ କଲା । ଏଣେ ସଞ୍ଜବେଳ ହୋଇଯାଇଥାଏ । ଶିକାରି ପୁଅ ତ ଘରକୁ ଫେରିବାକୁ ମନସ୍ଥ କଲାବେଳକୁ ନିକଟରେ ଘଷର ଘଷର ଶବ୍ଦ ଶୁଣାଗଲା । ଗୋଟିଏ ବନ୍ୟଶୁକର ଆସି ଶିକାରି ପୁଅଟିକୁ ଭୁଷିଦେଲା । ସାଧାରଣ ବନ୍ୟ ଶୁକରଠାରୁ ପରାଜିତ ହେବାକୁ ତାକୁ ଭଲ ଲାଗିଲା ନାହିଁ । ସେ ଭୀଷଣ ରାଗିଯାଇ ବନ୍ୟ ଶୁକରକୁ ଆଖି ପିଛୁଳାକେ ଗୋଟିଏ ତୀର ମାଇଲା । ବନ୍ୟ ଶୁକରଟି ସେଇଠାରେ ଗଁ ଗଁ ହୋଇ ଛଟପଟ ହୋଇ ମରିଗଲା ।

       ବନ୍ୟ ଶୁକର ଭୁଷି ଦେଇଥିବାରୁ ଶିକାରି ପୁଅଟି ଠିଆହୋଇ ପାରିଲା ନାହିଁ । ଦେହରୁ ପ୍ରବଳ ରକ୍ତ ବୋହିବାକୁ ଲାଗିଲା । ମୁଣ୍ଡ ବୁଲାଇ ଦେଲା । ଗୋଡ ହାତ ଝିମ୍ ଝିମ୍ ହୋଇଗଲା । ଅତ୍ୟଧିକ ରକ୍ତ ବାହାରି ଥିବାରୁ ଶିକାରି ପୁଅଟି ମୂର୍ଚ୍ଛା ହୋଇ ତଳେ ପଡିଗଲା ଓ ତା’ ଜୀବନ ଚାଲିଗଲା ।

       ସୂର୍ଯ୍ୟ ଅସ୍ତ ହୋଇଗଲେ । ସଞ୍ଜ ହୋଇଗଲା । ଗୋଟିଏ ବିଲୁଆ କୁଆଡୁ ବୁଲି ବୁଲି ଆସି ସେଠାରେ ପହଁଚିଲା । ଶିକାରି ପୁଅର ମୃତ ଶରୀର ଓ ବନ୍ୟ ଶୁକରର ମୃତ ଶରୀର ଦେଖି ବିଲୁଆର ମନ ବହୁତ ଆନନ୍ଦ ହେଲା । ମନେ ମନେ ଭଗବାନଙ୍କୁ ବହୁତ ଧନ୍ୟବାଦ ଦେଲା । ବହୁତ ଦିନରୁ ଉପାସ ରହୁଥିବା ଜୀବ ଯଦି ଖାଦ୍ୟ ପାଏ, ତା’ହେଲେ ତା’ର ଆନନ୍ଦ ବହୁତ ବଢିଯାଏ ।

ଅତି ଆନନ୍ଦ ହୋଇଥିବା ବିଲୁଆଟି ପ୍ରଥମେ ବନ୍ୟ ଶୁକର ତା’ ପରେ ଶିକାରି ପୁଅ ଓ ଧନୁରେ ଲାଗିଥିବା ଚମଡାକୁ ଶୁଙ୍ଘିବାକୁ ଲାଗିଲା । ସେ ମନେ ମନେ ଭାବିଲା, “ ଆହାଃ ଅନେକ ଦିନ ଧରି ଏହାକୁ ଖାଇବି । ଏଥିରୁ କାହାରିକୁ ଭାଗ ଦେବି ନାହିଁ । ଆଜି କାହାକୁ ଖାଇବି? କାହାକୁ ଖାଇବି? ମଣିଷଟାକୁ ନା ନା, ତା’ର କଅଁଳିଆ ମାଉଁସ କାଲି ସକାଳେ ଆରାମ୍ରେ ବସି ଖାଇବି । ବନ୍ୟ ଶୁକରଟା ଆଜି ରାତିରେ ଖାଇବି? ନା, ଏହାକୁ ରାତିରେ ଖାଇବି ନାହିଁ । ଏହାର ଚମଡା ବହୁତ ଟାଣ । ରାତିରେ ଟାଣି ଛିଣ୍ଡାଇବା ବହୁତ କଷ୍ଟ ହେବ । ତା’ ପରେ ରାତିରେ ତ ଜମା ଭୋକ ନାହିଁ । ଆଃ, କି ସୁନ୍ଦର ବାସନା । ”

       ମନେ ମନେ ଏହି କଥା ଭାବି ଧନୁରେ ଲାଗିଥିବା ଶୁକର ଚମଡାକୁ ଖାଇବା ପାଇଁ ସ୍ଥିର କରି, ସେ ଚମଡାକୁ ଚାଟିବାକୁ ଲାଗିଲା । ତା’ପରେ ଚମଡାଟି ଛିଣ୍ଡିଯାଇ ବିଲୁଆ ଛାତିରେ ଖୁବ୍ ଜୋର୍ରେ ବାଜିଲା । ଲୋଭି ବିଲୁଆଟି ସେହିଠାରେ ଟଳିପଡିଲା ।

ଅତି ଲୋଭ ହିଁ ମୃତ୍ୟୁର କାରଣ ହୋଇଥାଏ ।

କେମିତି ଲାଗିଲା କମେଣ୍ଟ ( Comment ) ରେ ନିଶ୍ଚୟ କୁହନ୍ତୁ