ବ୍ରାହ୍ମଣ ଓ ଇନ୍ଦ୍ର


ଜଣେ ବ୍ରାହ୍ମଣ ଏକ ସୁନ୍ଦର ବଗିଚା କରିଥିଲେ । ଦିନ ରାତି ପରିଶ୍ରମ କରି ଅନେକ ଗୁଡ଼ିଏ ଫୁଲ ଫଳ ଗଛ ଲଗାଇଥିଲେ । ଦିନେ ଗୋଟାଏ ଗୋରୁ ପଶିଯାଇ ବ୍ରାହ୍ମଣ ବହୁ ଯତ୍ନରେ ବଢ଼ାଇଥିବା କେତୋଟି ଗଛକୁ ଖାଇଦେଲା । ବ୍ରାହ୍ମଣ ରାଗରେ ଅନ୍ଧ ହୋଇ ଗୋରୁଟାକୁ ମାରିବାକୁ ଲାଗିଲେ ଏବଂ ମାରୁ ମାରୁ ମାରିଦେଲେ । ସମସ୍ତେ ଗୋହତ୍ୟାପାଇଁ ବ୍ରାହ୍ମଣକୁ ଦୋଷ ଦେବାକୁ ଲାଗିଲେ । ବ୍ରାହ୍ମଣ କିନ୍ତୁ ନିଜ ଦୋଷ ମାନିଲେ ନାହିଁ । ସେ କହିଲେ, ""ମୋର ଦୋଷ କଣ ? ମୁଁ ଗୋ ହତ୍ୟା କରି ନାହିଁ । ମୋର ହାତ ମାରିଚି ଏବଂ ହାତର ଦେବତା ଇନ୍ଦ୍ର ହିଁ ଏହି କାର୍ଯ୍ୟ କରିଛନ୍ତି । ତେଣୁ ଗୋ-ହତ୍ୟା ପାପ ଇନ୍ଦ୍ରଙ୍କୁ ଲାଗିବ, ମୋତେ ନୁହେଁ ।

ଇନ୍ଦ୍ର ଦେଖିଲେ, ମହାବିପଦ । ସେ ବ୍ରାହ୍ମଣ ବେଶଧରି ସେହି ବଗିଚାରେ ପହଞ୍ଚିଲେ । ବ୍ରାହ୍ମଣଙ୍କୁ ଦେଖି କହିଲେ, ""ମହାଶୟ, ଏ ବଗିଚାଟି କାହାର ?

ବ୍ରାହ୍ମଣ ଉତ୍ତର ଦେଲେ, "ଆଜ୍ଞା ମୋର' । ଇନ୍ଦ୍ର କହିଲେ, ""ବଗିଚାଟି ବେଶ ସୁନ୍ଦର ହୋଇଚି । ଆପଣଙ୍କ ମାଳୀଟି ବି ଖୁବ୍ ଭଲ । ବହୁ ଯତ୍ନ ନେଇ ଏ ବଗିଚାଟିକୁ କରିଚି । ସୁନ୍ଦର ଭାବରେ ସଜାଇ ଗଛଗୁଡ଼ିକ ପୋତିଛି । ବ୍ରାହ୍ମଣ କହିଲେ ""ଆଜ୍ଞା ମାଳୀ କେହି ନାହିଁ । ମୁଁ ନିଜେ ହାତରେ ପରିଶ୍ରମ କରି ଏ ଗଛଗୁଡ଼ିକୁ ଠିଆ କରେଇଚି ।" ଇନ୍ଦ୍ର କହିଲେ, " ବଗିଚା ଭିତର ରାସ୍ତାଟି ବି ଖୁବ୍ ସୁନ୍ଦର ହୋଇଚି । ଏ ରାସ୍ତାଟିକୁ କିଏ କରିଚି ?" ବ୍ରାହ୍ମଣ କହିଲେ, "ଆଜ୍ଞା, ଏ ସବୁ ମୁଁ ହିଁ କରିଚି ।" ବ୍ରାହ୍ମଣ ବେଶଧାରୀ ଇନ୍ଦ୍ର କହିଲେ, "ବେଶ୍ ବେଶ୍, ସବୁ ଆପଣ କରିଛନ୍ତି । କେବଳ ଗୋରୁଟା ମାରିବାବେଳେ ଇନ୍ଦ୍ର ଆସିଯାଇଥିଲେ !"

ଲୋକେ ନିଜର ଦୋଷକୁ ନ ଦେଖି ତାହା ଅନ୍ୟ ଉପରେ ଲଦି ଦେବାକୁ ବସନ୍ତି ।