ଭଣ୍ତ ଧାର୍ମିକ



ଜଣେ ବଣିଆ ଦୋକାନଦାର ଥିଲା । ସେହି ଦୋକାନୀକୁ ଦେଖିଲେ ମନେ ହେବ,ସେ ଜଣେ ଅତି ଧାର୍ମିକ ବ୍ୟକ୍ତି । ତା'ର ବେକରେ ତୁଳସୀର ମାଳା, କପାଳରେ ତିଳକ, ହାତରେ ହରିନାମ ଝୁଲି, ଦେହରେ ନାମାବଳି, ମୁହଁରେ ଭଗବାନଙ୍କର ନାମ ।

ସାଧାରଣତଃ ବଣିଆ ଦୋକାନରେ ଲୋକେ ଠକି ହୋଇଯାଆନ୍ତି । ଗରାଖ ଯେତେ ବୁଦ୍ଧିଆ ହେଉ ନା କାହିଁକି, ବଣିଆ ତାକୁ ଠକିଦେବ । ତା'ଠାରୁ ଖାଣ୍ଟି ସୁନା ନେଇ ସେଥିରେ ସେ ଏପରି ଖାଦ ମିଶାଇ, ଦେବ ଯେ ସାଧାରଣ ଲୋକ ତାକୁ ଧରି ପାରିବ ନାହିଁ । ଏଥିପାଇଁ ବିଶ୍ୱାସୀ ବଣିଆ ଦୋକାନ ଯିବାକୁ ପଡ଼େ । ଏହି ଦୋକାନଦାରଟିକୁ ଦେଖି ଗରାଖମାନେ ମନେ କରନ୍ତି ଯେ ସେ ଏତେ ଧାର୍ମିକ, ସେ କେବେ ସୁନା ଚୋରି କରିବ ନାହିଁ । ତେଣୁ ବହୁ ଲୋକ ଏହି ଦୋକାନକୁ କାମ ଦେବାକୁ ଆସନ୍ତି । ଦୋକାନରେ ଅନେକ କାରିଗର କାମ କରନ୍ତି । ଦୋକାନର ମାଲିକ ପରି ସେମାନେ ମଧ୍ୟ ପରମ ଧାର୍ମିକ ।

ଦିନେ କେତେଜଣ ଗ୍ରାହକ ବହୁ ସୁନା ଆଣି ଏହି ବଣିଆ ଦୋକାନରେ ପହଞ୍ଚିଲେ । ମାଲିକ ସେମାନଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିଦେଲା । ତା'ପରେ ଦରଦାମ୍ ଠିକ୍ କରି ସେ ସୁନାତକ ଜଣେ କାରିଗରକୁ ବଢ଼ାଇ ଦେଲା । ସଙ୍ଗେ ସଙ୍ଗେ କାରିଗର କହିଲା, "କେଶବ, କେଶବ' । ମାଲିକ ତାହା ଶୁଣି କହିଲା, "ଗୋପାଳ, ଗୋପାଳ' ।

ଗ୍ରାହକମାନେ ଭାବିଲେ, ଆହା- ଲୋକଟି କେଡେ଼ ଧାର୍ମିକ ! ଯାହାର କାରିଗରମାନେ ମଧ୍ୟ ଏପରି ଭଗବାନଙ୍କର ନାମ ନିଅନ୍ତି, ସେ କ'ଣ କାହାରିକୁ ଠକି ପାରେ ? କିନ୍ତୁ ଏହି ନାମ ନେବା ପଛରେ ଗୋଟିଏ ରହସ୍ୟ ଥିଲା । ସେ ଦୋକାନରେ ମାଲିକଠାରୁ କାରିଗର ପର୍ଯ୍ୟନ୍ତ ଯେଉଁ ନାମ ନିଅନ୍ତି ସେ ନାମରେ ଆଉ ଗୋଟିଏ ଅର୍ଥ ଥାଏ । ସେମାନେ ହିଁ ତାହା ବୁଝନ୍ତି । ଗ୍ରାହକ ବୁଝିପାରେ ନାହିଁ ।

କାରଗିର କହଲା, "କେଶବ, କେଶବ' । ଏହାର ଅର୍ଥ ହେଲା କାରିଗର ମାଲିକକୁ ପଚାରୁଚି ଏମାନେ ସବୁ କିଏ ? ମାଲିକ ଉତ୍ତରରେ କହୁଚି, "ଗୋପାଳ, ଗୋପାଳ' । ଗୋ ମାନେ ଗୋରୁ । ପାଳ ଅର୍ଥ ଏମାନେ ଗୋରୁ ଜଗନ୍ତି । ଅର୍ଥାତ ଲୋକଗୁଡିକ ନିତାନ୍ତ ଗଣ୍ଡ ମୂର୍ଖ ।

ସଙ୍ଗେ ସଙ୍ଗେ ଆଉ ଜଣେ କାରିଗର କହି ଉଠିଲା, "ହରି ହରି ହରି' । ହରି ଅର୍ଥ ସେ ଭଗବାନଙ୍କୁ ଡାକୁ ନ ଥିଲା । ମାଲିକକୁ ପଚାରୁଥିଲା, ଆମେ ସୁନାତକ ହରଣ କରି ନେବା କି ? ମାଲିକଙ୍କ ଅନୁମତି ନେବାପାଇଁ ତା'ର ଏହି ହରିନାମ ।

ମାଲିକ ଉତ୍ତର ଦେଲା, 'ହର ହର' । ଅର୍ଥାତ ହରଣ କରିନିଅ । ଦୋକାନୀ ଓ କାରିଗରମାନଙ୍କ ମଧ୍ୟରେ ଯେଉଁ ସବୁ କଥାଭାଷା ହେଲା ଗରାଖମାନେ ତା'ର ବିନ୍ଦୁ ବିସର୍ଗ ବୁଝି ପାରିଲେ ନାହିଁ । ସେମାନେ ଭାବିଲେ, ଲୋକଗୁଡିକ ପରମ ଧାର୍ମିକ । ପ୍ରତି ମହୁର୍ତରେ ଏମାନଙ୍କ ମୁହଁରେ ଭଗବାନଙ୍କର ନାମ । ଏମାନେ କ'ଣ କାହାରିକୁ ଠକି ପାରନ୍ତି ?

ବହୁ ଲୋକ ଅଛନ୍ତି, ଯେଉଁମାନେ କୌଣସି ମନ୍ଦ କାର୍ଯ୍ୟ କରିବାକୁ ହେଲେ ସାଧୁର ବେଶ ପିନ୍ଧି ଧର୍ମ କଥା କହିବାରେ ଲାଗନ୍ତି । ସେମାନେ ଜାଣନ୍ତି ଯେ ଏହି ବାଟରେ ଲୋକମାନଙ୍କୁ ସହଜରେ ଠକିଦେଇ ହୁଏ ।