🐍 ଫଁ ଫଁ🐍
ଏକ ମସ୍ତବଡ଼ ପଡ଼ିଆ । ତା' ଭିତରେ ବଡ଼ ବଡ଼ ଗଛ । ଚାରିପାଖରେ ଗାଆଁ । ପ୍ରତିଦିନ ସକାଳେ ଗାଆଁର ଗଉଡ଼ ପିଲାମାନେ ଗୋରୁ ନେଇ ପଡ଼ିଆକୁ ଚରାଇବାକୁ ଆସନ୍ତି । ସେମାନେ ଗଛ ଛାଇରେ ବସି ମୁଢ଼ି ଚୋବାନ୍ତି, ଖେଳନ୍ତି, ବଂଶୀ ବଜାନ୍ତି ଓ ଗୋରୁମାନେ ଚାରିଆଡେ଼ ଚରି ବୁଲୁଥା'ନ୍ତି । ସେହି ପଡ଼ିଆ ମଝିରେ ଏକ ଭୟଙ୍କର ସାପ ରହୁଥାଏ । ଗାଈ, ବାଛୁରୀ, ମଣିଷ- ଯେ ତା'ର ଗାତ ପାଖକୁ ଯାଏ, ସାପଟା ତାକୁ କାମୁଡ଼ିବାପାଇଁ ଧାଇଁଆସେ । ବାପରେ ବାପ ! ଯେପରି ସାପର ଦେହର ରଙ୍ଗ, ସେମିତି ତା'ର ଫଣା ଓ ସେମିତି ତା'ର ବିଷ ! ଯାହାକୁ ସେ ମାରେ ସେ ସେଇଠି ଚିତ୍କାର କରି ପଡ଼ି ମରିଯାଏ । ସାପ ଭୟରେ ସେ ବାଟେ କେହି ଯିବା ଆସିବା କରନ୍ତି ନାହିଁ ।
ଦିନେ ଜଣେ ସାଧୁ ସେ ବାଟେ ଯାଉଥିଲେ । ପଡ଼ିଆର ଗଉଡ଼ ଟୋକାମାନେ ତାଙ୍କୁ ଚିତ୍କାର କରି ଡାକି କହିଲେ, "ବାବାଜି ମାହାପୁରୁ, ସେ ବାଟେ ଯାଆନ୍ତୁ ନାହିଁ । ସେଠି ଗୋଟାଏ ଭୟଙ୍କର ସାପ ଅଛି । ସେ ବାଟେ ଯେ ଯିବ ତାକୁ ସେ କାମୁଡ଼ି ଦେବ । ତା'ର ଏପରି ବିଷ ଯେ କାମୁଡ଼ି ଦେବା ସଙ୍ଗେ ସଙ୍ଗେ ଲୋକ ମଲା । ସେ ବାଟେ ଯାଆନ୍ତୁ ନାହିଁ ।
ବାବାଜି କହିଲେ, "ମୁଁ ସାପମନ୍ତ୍ର ଜାଣେ । ମୋତେ ସେ କାମୁଡ଼ି ପାରିବ ନାହିଁ ।" ଏହା କହି ସାଧୁ ସେହି ବାଟେ ଯିବାକୁ ବାହାରିଲେ । ପିଲାମାନେ ଦୂରରେ ଥାଇ କ'ଣ ଘଟୁଛି ବୋଲି ଭୟରେ ଦେଖିବାକୁ ଲାଗିଲେ ।
ସାଧୁ ଯାଉଛନ୍ତି । ସାପ ଗାତ ପାଖରେ ପହଞ୍ଚୁ ନ ପହଞ୍ଚୁଣୁ ସାପଟା ଦୌଡ଼ିଆସି ଫଁ କରି ଫଣା ଟେକିଦେଲା । ସାଧୁ ଗୋଟିଏ ମନ୍ତ୍ର ବୋଲିଦେଲେ । ମନ୍ତ୍ରର କି ଗୁଣ ! ସାପଟା କେଞ୍ଚୁଆପରି ହୋଇଗଲା । ସାପର ଅବସ୍ଥା ଦେଖି ସାଧୁଙ୍କ ମନରେ ଦୟା ହେଲା । ସେ ତାକୁ ବହୁ ଧର୍ମକଥା ବୁଝାଇବାକୁ ଲାଗିଲେ, "ଦେଖ ବାବା, ଏତେଦିନ ଧରି ତୁ କେତେଗୁଡ଼ିଏ ପ୍ରାଣୀଙ୍କୁ ହତ୍ୟା କଲୁଣି । ତୋ'ର ମହାପାପ ହେଲାଣି । ମରିବା ପରେ କ'ଣ ହେବ ଭାବି ଦେଖିଛୁ କି ? ତୁ ମୋ'ଠାରୁ ମନ୍ତ୍ର ନେ ।" ସାଧୁଙ୍କ କଥାରେ ସାପର ଚେତନା ପଶିଲା । ସେ ଯେ ବହୁତ ପାପ କରିଛି ତାହା ବୁଝିପାରିଲା । ସେ ସାଧୁଙ୍କର ଶିଷ୍ୟ ହୋଇଗଲା । ସାଧୁ ତାକୁ ମନ୍ତ୍ର ଦେଇ କହିଲେ, "ଏଇଟି ପ୍ରତିଦିନ ଜପ କରିବୁ । କୌଣସି ପ୍ରାଣୀକୁ ହିଂସା କରିବୁ ନାହିଁ ।" ଏହା କହି ସାଧୁ ଚାଲିଗଲେ ।
ଖୁବ୍ ଭକ୍ତିରେ ସାପ ଗୁରୁ ଦେଇଥିବା ମନ୍ତ୍ର ଜପ କରିବାକୁ ଲାଗିଲା । ସେଦିନଠାରୁ ସେ ଆଉ କାହାରିକୁ କାମୁଡ଼ିଲା ନାହିଁ । କିଛି ଦିନ ବିତିଗଲା । ଗଉଡ଼ ପିଲାମାନେ ଦେଖିଲେ ଯେ ସାପଟା ଫଣା ଟେକି ଆଉ ମାରିବାକୁ ଆସୁ ନାହିଁ । ଗାଈ, ବାଛୁରୀ ନିକଟକୁ ଗଲେ ମଧ୍ୟ କିଛି କରୁ ନାହିଁ । ସେମାନେ ଦୂରରୁ ଥାଇ ତାକୁ ଟେକା ମାରିବାକୁ ଲାଗିଲେ । ସାପ ସେମାନଙ୍କ ଆଡ଼କୁ ଫେରି ଚାହିଁଲା ନାହିଁ । ପିଲାମାନେ ବୁଝିଲେ ଯେ ଏସବୁ ବାବାଜିଙ୍କ ମନ୍ତ୍ରର ଗୁଣ । ଧୀରେ ଧୀରେ ସେମାନଙ୍କର ସାହସ ବଢ଼ିବାକୁ ଲାଗିଲା । ଦିନେ ସେମାନେ ତା' ନିକଟକୁ ଯାଇ ଠେଙ୍ଗାରେ ଏପରି ପାହାରେ ପକାଇଲେ ଯେ ସାପଟା ମରେ ନ ମରେ । ସମସ୍ତେ ଭାବିଲେ ସେ ମରିଗଲା । ଗୋଟାଏ ଦୁଷ୍ଟ ପିଲା ଲାଞ୍ଜ ଧରି ଟେକି ତାକୁ ଦୂରକୁ ଫୋପାଡ଼ିଦେଲା ।
ସାପଟା କିନ୍ତୁ ମରି ନ ଥିଲା । ମାଡ଼ ଖାଇ ଏକାବେଳକେ ଅଜ୍ଞାନ ହୋଇ ପଡ଼ିଥିଲା । ବହୁତ ରାତିକୁ ତା'ର ଜ୍ଞାନ ଫେରି ଆସିଲା । ତା'ପରେ ଧୀରେ ଧୀରେ ଅତି କଷ୍ଟରେ ନିଜ ଗାତ ଭିତରକୁ ଯାଇ ପଡ଼ି ରହିଲା । କିଛିଦିନ ଦେହରେ ପୀଡ଼ା ଯୋଗୁଁ ଏପାଖ ସେପାଖ ହୋଇ ପାରିଲା ନାହିଁ । ତା'ପରେ ଆସ୍ତେ ଆସ୍ତେ ଉଠିଲା । ଗଉଡ଼ ପିଲାମାନଙ୍କ ଭୟରେ ସେ ଦିନବେଳେ ଗାତ ବାହାରକୁ ଆସେ ନାହିଁ । ରାତିରେ ଖାଇବା ଖୋଜିବାପାଇଁ ବାହାରକୁ ଆସେ ।
ସାପକୁ ଆଉ କେହି ଦେଖିବାକୁ ପାଇଲେ ନାହିଁ । ସମସ୍ତେ ମନେକଲେ, ମରିଗଲା । ବହୁଦିନ ପରେ ସେହି ସାଧୁ ପୁଣି ଥରେ ସେହି ବାଟେ ଯାଉଥିଲେ । ତାଙ୍କୁ ଚିହ୍ନିପାରି ଗଉଡ଼ ପିଲାମାନେ ଖୁବ୍ ଭକ୍ତିରେ ପ୍ରଣାମ କଲେ ଓ କହିଲେ, "ବାବାଜି ମାହାପୁରୁ, ସେ ସାପଟା ମରିଗଲା ।" ଏ କଥାରେ ସାଧୁଙ୍କର ବିଶ୍ୱାସ ହେଲା ନାହିଁ । ସେ ଜାଣିଥିଲେ ଯେ ମନ୍ତ୍ରର ସାଧନା ଶେଷ ହେବାଯାଏଁ ସାପ ମରିବ ନାହିଁ । ସେ ସାପ ଗାତ ନିକଟକୁ ଯାଇ ଜୋର୍ରେ ଡାକିବାକୁ ଲାଗିଲେ । ଗୁରୁଙ୍କ ଡାକ ଶୁଣି ସାପ ଗାତ ବାହାରକୁ ଆସି ତାଙ୍କୁ ପ୍ରଣାମ କଲା । ଏତେଦିନ ପରେ ଗୁରୁଙ୍କୁ ଦେଖିବାକୁ ପାଇ ସାପ ମନରେ ଭାରି ଆନନ୍ଦ । ଗୁରୁ ପଚାରିଲେ, "ବାବା, କେମିତି ଅଛୁ ?"
ସାପ କହିଲା "ଆପଣଙ୍କ ଦୟାରେ ଖୁବ୍ ସୁଖରେ ମୋ ଦିନ କଟିଯାଉଛି ।"
ଗୁରୁ ପଚାରିଲେ "ତା' ହେଲେ ତୁ ଏତେ ଦୁର୍ବଳ ଦେଖାଯାଉଛୁ କାହିଁକି ?"
ଗୁରୁଙ୍କ ଉପଦେଶ ଓ ସାଧନାର ଗୁଣରୁ ସାପ ମନରୁ ସମସ୍ତ ହିଂସାଭାବ ଚାଲିଯାଇଥିଲା । ଗଉଡ଼ ଟୋକାମାନେ ତାକୁ ଯେ ଟେକା ଓ ଠେଙ୍ଗାରେ ମାରିଥିଲେ, ତାହା ସେ ସଂପୂର୍ଣ୍ଣ ଭାବରେ ଭୁଲିଯାଇଥିଲା ।
ସାପ କହିଲା, "ହିଂସା କରିବାପାଇଁ ଆପଣ ମନା କରିଥିଲେ । ତେଣୁ ଗଛରୁ ପଡ଼ୁଥିବା ପତ୍ର ଓ ଶୁଖିଲା ଘାସ ଏ ସବୁ ଖାଉଛି । ସେଥିପାଇଁ ବୋଧହୁଏ ଏପରି ଦୁର୍ବଳ ଦେଖାଯାଉଛି ।" ଗୁରୁ କହିଲେ, "ନା, ଏପରି ଦୁର୍ବଳ ହେଲେ ଚଳିବ ନାହିଁ । ତୁ ମନେ ପକା, ଅନ୍ୟ କିଛି କାରଣ ଅଛି ।"
ଗୁରୁଙ୍କ କଥା ଶୁଣି ସାପ ଭାବିବାକୁ ଲାଗିଲା । ବହୁତ ଭାବି ଭାବି ତା'ର ମନେ ପଡ଼ିଲା, ଗଉଡ଼ ପିଲାଏ ଦିନେ ତାକୁ ଭାରି ମାରିଥିଲେ । ସେ କହିଲା, "ଆଜ୍ଞା, ଆପଣ ଠିକ୍ କହୁଛନ୍ତି । ମୁଁ କାହାରିକୁ ହିଂସା କରୁନାହିଁ ଦେଖି ଦିନେ ଗଉଡ଼ ଟୋକାମାନେ ଠେଙ୍ଗା ଧରି ମୋତେ ମାରିବାକୁ ଲାଗିଲେ । ଅବୋଧ ବାଳକ, ସେମାନେ କ'ଣ ମୋର ମନର ଅବସ୍ଥା ବୁଝି ପାରୁଛନ୍ତି ?"
ଗୁରୁ ସବୁ ବୁଝିପାରିଲେ । ସାପକୁ ଧମକାଇ କହିଲେ, "ତୁ ପୁଣି ଏଡେ଼ ବୋକା ! ହିଂସା କରିବାକୁ ତୋତେ ମୁଁ ବାରଣ କରିଥିଲି । ଫଁ କରିବାକୁ ତ ମନା କରି ନ ଥିଲି । ତୋତେ କେହି ମାରିବାକୁ ଆସିଲେ ଆଜିଠାରୁ ଫଁ କରିବୁ ।"
ଏହା କହି ସାଧୁ ଚାଲିଗଲେ ।
ସେ ଦିନଠାରୁ ସାପ ଦିନବେଳେ ଆହାର ସଂଗ୍ରହ କରିବାପାଇଁ ପଡ଼ିଆରେ ବୁଲିବାକୁ ଆରମ୍ଭକଲା । ଗଉଡ଼ ପିଲାଏ ତାକୁ ଦେଖି ଚିତ୍କାର କରିଉଠିଲେ । "ଆରେ ମରିନିରେ ମରିନି । ପୁଣି ସାପଟା କ'ଣ ବାହାରିଲାଣି, ଚାଲ ତାକୁ ଦେଖିନେବା ।"
ଏହା କହି ପିଲାମାନେ ଠେଙ୍ଗା ଧରି ତାକୁ ମାରିବାକୁ ଚାଲିଲେ । ଯେପରି ସେମାନେ ନିକଟରେ ପହଞ୍ଚିଛନ୍ତି, ସାପ ପ୍ରଥମେ ଯେପରି କରୁଥିଲା, ସେହିରି ଫଣା ଟେକି ଦୌଡ଼ି ଆସିଲା । ଆଉ ଯାଆନ୍ତି କୁଆଡେ଼ ? ବୀର ଦଳ ଭୟରେ ମାଆଲୋ, ବାପାଲୋ ହୋଇ ଯେ ଯୁଆଡେ଼ ପାରିଲେ ପଳାଇଲେ । ସେ ଦିନଠାରୁ ସାପ ପାଖକୁ ଆଉ କେହି ଗଲେ ନାହିଁ । ସାପଟା ନିର୍ଭୟରେ ବୁଲିବାକୁ ଲାଗିଲା ।
ମାଲୁଣିର ଫୁଲ ପୁସ୍ତକରୁ ସଂଗୃହିତ
🙏🙏🙏🙏🙏🙏🙏🙏
0 Comments