ସାତଘଡ଼ା ଟଙ୍କାର କଥା



ଥରେ ଜଣେ ନାପିତ ବାଟରେ ଯାଉ ଯାଉ ଶୁଣିଲା, କିଏ ଯେପରି ତାକୁ କହୁଚି, "ସାତଘଡ଼ା ଟଙ୍କା ନବୁ?" ସେ ଆଶ୍ଚର୍ଯ୍ୟ ହୋଇ ଚାରି ଆଡ଼କୁ ଚାହିଲା, କାହାରିକି ଦେଖିଲା ନାହିଁ । ପୁଣି ଯିବାକୁ ବସିଚି, ଶୁଣିଲା, "ସାତଘଡ଼ା ଟଙ୍କା ନବୁ" । ଏଥର ସେ ଲୋଭ ସମ୍ଭାଳି ନ ପାରି କହିଲା, "ହଁ ନେବି ।" ପୁଣି ତାକୁ ଅଶରୀରୀ ଶବ୍ଦ ଶୁଣାଗଲା, "ଠିକ ଅଛି, ତୋ ଘରେ ଯାଇ ମୁଁ ଦେଇ ଆସୁଛି । ଦେଖିବୁ ଯା । ନାପିତ ତା'ଘରକୁ ଯାଇ ଦେଖିଲା, ସତକୁ ସତ ଟଙ୍କା ଆସି ପହଞ୍ଚି ଯାଇଚି । ମାତ୍ର ସାତଟି ଘଡ଼ାରୁ ଛ'ଟି ଘଡ଼ା ମୋହରରେ ଭରା । ଗୋଟିଏ ଘଡ଼ା ଖାଲି ଅଛି । ବର୍ତ୍ତମାନ ଖାଲି ଘଡ଼ାଟି ପୂର୍ଣ୍ଣ କରିବାପାଇଁ ତା' ମନରେ ପ୍ରବଳ ଇଚ୍ଛା ହେଲା । ନିଜ ଘରେ ଯାହା କିଛି ଟଙ୍କାପଇସା, ସୁନାରୁପା ଥିଲା, ତାକୁ ସେଥିରେ ପକାଇଲା । ମାତ୍ର ଘଡ଼ା ପୂରିଲା ନାହିଁ । ସେ ନିଜର ଘର ଖର୍ଚ୍ଚ କମାଇ ଯାହା କିଛି ପାଇଲା, ଘଡ଼ାରେ ପୂରାଇଲା । କିନ୍ତୁ ଘଡ଼ା ପୂରିବାର ପ୍ରଶ୍ନ ନାହିଁ ।

ଶେଷରେ ରାଜାଙ୍କ ପାଖକୁ ଯାଇ କାକୁତି ମିନତି ହୋଇ କହିଲା, ସେ ଯେତିକି ଟଙ୍କା ପାଉଚି, ସେଥିରେ ତା'ର ଘର ଚଳୁ ନାହିଁ । ରାଜା ତା'ର ଦରମା ବଢ଼ାଇଦେଲେ । କିନ୍ତୁ ନାପିତ ଯେତେ ଅଧିକ ଟଙ୍କା ପକାଇଲେ ମଧ ଘଡ଼ା ସେହିରି ଅପୂର୍ଣ୍ଣ ରହିଲା । ସେ ଲୋକଙ୍କ ପାଖକୁ ଯାଇ ମାଗି ଯାଚି, ଋଣ କରି ଯାହା ପାଇଲା, ଘଡ଼ାରେ ପକାଇବାକୁ ଲାଗିଲା । ମାତ୍ର ତା'ର ଯେଉଁ ଦଶାକୁ ସେଇ ଦଶା । ତାକୁ ଅତିଶୟ ବିବ୍ରତ ଓ ଚିନ୍ତିତ ଥିବାର ଦେଖି ରାଜା ଦିନେ ପଚାରିଲେ, ""ଆଗେ ତୁ କମ୍ ଦରମା ପାଉଥିଲୁ । ମାତ୍ର ବେଶ୍ ଖୁସି ବାସିରେ ଚଳୁଥିଲୁ । ଏବେ ତୁ ଦି'ଗୁଣ ଦରମା ପାଇଲୁ, ସେଥିରେ କଣ ତୁ ଚଳିପାରୁନାହୁଁ ? ତୋର କଣ ହୋଇଚି ? ସେଇ ସାତ ଘଡ଼ା ମୋହର ପାଇଚୁ କିରେ ?

ନାପିତ ଥତ ମତ ହୋଇ କହିଲା, ""ଆଜ୍ଞା, ଆପଣଙ୍କୁ କିଏ କହିଲା ?

ରାଜା କହିଲେ, ""ଆରେ ସେ ଯକ୍ଷର ଧନ । ତାକୁ ନେଲେ କେହି କିଛି ଖର୍ଚ୍ଚ କରି ପାରେନି । ଖାଲି ଜମା କରିବାକୁ ହୁଏ । ସେ ଯକ୍ଷଟା ମୋ' ପାଖକୁ ଆସିଥିଲା । ମୋତେ କହିଲା, ""ସାତଘଡ଼ା ଧନ ନେବ ? ମୁଁ କହିଲି, ""ଜମାର ଟଙ୍କା ନା ଖର୍ଚ୍ଚ ଟଙ୍କା ? ଯକ୍ଷଟା ଆଉ କିଛି ନ କହି ସଙ୍ଗେ ସଙ୍ଗେ ପଳାଇଗଲା । ଏବେ ଯା ସାଙ୍ଗେ ସାଙ୍ଗେ ଘଡ଼ିତକ ଫେରାଇ ଦେ । ନ ହେଲେ ଶାନ୍ତିରେ ରହିପାରିବୁ ନାହିଁ ।

ନାପିତ ସଙ୍ଗେ ସଙ୍ଗେ ସେଇ ଜାଗାକୁ ଯାଇ କହିଲା, ""ତୋର ଟଙ୍କା ତୁ ନେଇ ଯା, ମୋର ଦରକାର ନାଇଁ । ଯକ୍ଷ କହିଲା "ଆଚ୍ଛା !' ନିଜ ଘରକୁ ଫେରି ଆସି ନାପିତ ଦେଖିଲା, ଯକ୍ଷ ଘଡ଼ାଗୁଡ଼ାକ ନେଇଯାଇଚି । ଯେଉଁ ଘଡ଼ାରେ ସେ ନିଜେ ଟଙ୍କା ସୁନା ପୂରାଇଥିଲା, ସେ ଘଡ଼ାଟା ବି ନାହିଁ ।





*ଅତି ଲୋଭ କଲେ ଶେଷରେ ଏଇଆ ହିଁ ମିଳେ*